ଗୁଣିଗାରେଡି ଓ ଗୁଣ୍ଡା ଗିରି
ହିଂସା, କ୍ରୋଧ, ରାଗ, ଇର୍ଷା ଇତ୍ୟାଦି ଭାବ ସାଧାରଣତଃ ମନୁଷ୍ୟ ସହ ସଦା ସର୍ବଦା ରହି ଆସୁଛି । ଅବଶ୍ୟ ସମାଜର ସମସ୍ତ ଲୋକଙ୍କ ପାଖରେ ଏହା ଦୃଶ୍ୟମାନ ନ ହେଲେ ମଧ୍ୟ କିନ୍ତୁ ସମସ୍ତଙ୍କ ଭିତରେ ଏହା ବିଦ୍ୟମାନ । କେହି କହି ଏହି ଭାବ ଗୁଡ଼ିକୁ ନିଜର ନିୟନ୍ତ୍ରଣ ରେ ରଖି ଲୁଚାଇ ପାରନ୍ତି କିନ୍ତୁ ସମ୍ପୁର୍ଣ୍ଣ ଭାବେ ଏହା ନିୟନ୍ତ୍ରିତ ନୁହେଁ । ସମାଜର ୭୦% ଭଲ ବ୍ୟକ୍ତି ଏହାକୁ ନିୟନ୍ତ୍ରଣ କରି ଅନ୍ୟ ମାନଙ୍କ ମନ୍ଦ ନ ଚିନ୍ତା କରିବା ପାଇଁ ଚେଷ୍ଟା କରନ୍ତି ଅପର ପକ୍ଷରେ ୩୦% ଖରାପ ପ୍ରଭୃତି ର ଲୋକ କେବଳ ଅନ୍ୟ ମାନଙ୍କ ସହ କଳହ, ଝଗଡା, ଆଦି କାର୍ଯ୍ୟ ରେ ଲିପ୍ତ ରହିଥାନ୍ତି । ତେଣୁ କେଉଁଠି ନା କେଉଁଠି ଏହା ଦ୍ବାରା ପ୍ରାୟ ସମସ୍ତେ ପ୍ରଭାବିତ ହୋଇଥାନ୍ତି ।
କାହା ମତରେ ଗ୍ରାମାଞ୍ଚଳରେ ଲୋକମାନଙ୍କ ଭିତରେ ହିଂସା, ଇର୍ଷା, କ୍ରୋଧ ଭାବ ଅଧିକ ଓ କାହା ମତରେ ସହରାଞ୍ଚଳ ଲୋକଙ୍କ ମଧ୍ୟରେ ଏହି ଭାବ ଅଧିକ । ବାସ୍ତବରେ ଏହି ହିଂସା ଭାବ ଉଭୟ ଗ୍ରାମ ଓ ସହର ସବୁ ସ୍ଥାନରେ ଲୋକଙ୍କ ଭିତରେ ରହିଛି ।
ସାଧାରଣତଃ ଗ୍ରାମାଞ୍ଚଳରେ ଲୋକଙ୍କ ଭିତରେ ହିଂସା କପଟ ରେ ଗୁଣିଗାରେଡି ର ପ୍ରଭାବ ଦେଖିବାକୁ ମିଳିଥାଏ । କିନ୍ତୁ ସହରରେ ଅନ୍ୟକୁ ହିଂସା କରି ଗୁଣ୍ଡା (କ୍ରିମିନାଲ) ର ସହାୟତା ନେଇଥାନ୍ତି । ଗ୍ରାମାଞ୍ଚଳର ସରଳ ବିଶ୍ୱାସୀ ଲୋକ ଏଥିପାଇଁ ଭଗବାନଙ୍କ ଉପରେ ଭରସା କରି ରହିଥାନ୍ତି ଯିଏ ଗେରୁଆ ବସ୍ତ୍ର ଧାରଣ କରି ମନ୍ଦିରରେ ରହିଥାନ୍ତି କିନ୍ତୁ ସହରରେ ଲୋକେ ମାଟିଆ ଖାକି ବସ୍ତ୍ର ପରିଧାନ କରି ହାତରେ ଲାଠି ଧରି ସରକାରୀ କାର୍ଯ୍ୟାଳୟ ରେ ରହୁଥିବା ପୋଲିସ ଉପରେ ନିର୍ଭରଶୀଳ । ଉଭୟଙ୍କୁ ନ୍ୟାୟ ମିଳିଥାଏ ସତ, କିନ୍ତୁ ବେଳେବେଳେ ନ୍ୟାୟ ପ୍ରଦାନକାରୀ ପ୍ରଶାସନିକ ଅଧିକାରୀ ଅବା ଭଗବାନ ନ୍ୟାୟ ଦେବାରେ ଡେରି କରି ଦେଇଥାନ୍ତି । ସରଳ ବିଶ୍ୱାସୀ ଙ୍କ ବିଶ୍ବାସ ବୃଥା ନ ଯାଇ ଭଲ କର୍ମ ପାଇଁ ଭଲ ଓ ଖରାପ କର୍ମ ପାଇଁ ଖରାପ ଫଳ ହିଁ ମିଳିଥାଏ । ମାତ୍ର ଏହା ସବୁବେଳେ ସମସ୍ତଙ୍କ ପାଇଁ ସମାନ ହୋଇ ନ ଥାଏ । ବେଳେ ବେଳେ ଭଗବାନ ହୁଏତ ନିଷ୍ଠୁର ହୋଇ ଶୋଇ ପଡଥାନ୍ତି ତେଣୁ ଟିକେ ଡେରି ହୋଇଯାଏ । ଅନ୍ୟ ପକ୍ଷେ ସରକାରୀ କର୍ମଚାରୀ ଙ୍କ ନିଦ ତ ସାଧାରଣ ଲୋକଙ୍କ ଝାଳ ବୁହା ଧନର ବାସ୍ନାରେ ଭାଙ୍ଗିଥାଏ । କିନ୍ତୁ ସେହି ଧନ ଏକାଠି ହେବା ପାଇଁ ବହୁତ ସମୟ ଲାଗିଯାଏ ତେଣୁ ନ୍ୟାୟାଳୟ ରେ ନ୍ୟାୟ ମଧ୍ୟ କଚ୍ଛପ ଗତିରେ ପ୍ରଦାନ କରାଯାଏ ।
ତେବେ ଏହି ସବୁକୁ ଆଧାର କରି ଗ୍ରାମାଞ୍ଚଳ ଲୋକ ସହରକୁ ଓ ସହରାଞ୍ଚଳ ଲୋକ ଗ୍ରାମାଞ୍ଚଳ କୁ ସ୍ଥାନାନ୍ତରିତ ହେବାରେ ବ୍ୟସ୍ତ ।
ଏହି ସମସ୍ୟା ମୁଁ ମୋ ଗ୍ରାମରୁ ଅନୁଭବ କରି ପାରିଛି କିନ୍ତୁ ମୁଁ ଭାବୁଛି ଏହା କେବଳ ମୋ ଗ୍ରାମର କିମ୍ବା ସହରର ସମସ୍ୟା ହୋଇ ନ ଥିବ ବରଂ ଏହା ସମସ୍ତ ଗ୍ରାମ ଓ ସହରର ସମସ୍ୟା ହୋଇ ଥିବ ।
✒️✏️✍️ ଭୋଳାଶଙ୍କର ସେଠୀ ✍️🖋️ 🖊️
0 Comments
Thank You For Your Appreciation.